ସେଲଫି ହେଲା କାଳ, ଜଳପ୍ରପାତରୁ ପଡ଼ି ନାବାଳକ ମୃତ

ହରଭଙ୍ଗା: ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ସ୍ଥିତ କୁମ୍ଭୀଝର ଜଳପ୍ରପାତରେ ରବିବାର ସେଲଫି ଉଠାଉଥିବା ବେଳେ ଗୋଡ଼ ଖସି ଯିବାରୁ ପାଣିରେ ବୁଡ଼ି ଜଣେ ନାବାଳକଙ୍କ ମୃତୁ୍ୟ ହୋଇଛି । ମୃତ ନାବାଳକ ହେଲା କନ୍ଧମାଳ ଜିଲ୍ଲା ଟିକାବାଲିର ଜ୍ୟୋତିଷ୍ମାନ ନାଏକ (୧୬) । ସୂଚନା ଅନୁଯାୟୀ ଜ୍ୟୋତିଷ୍ମାନ ତାଙ୍କ ବାପା, ମା, ଭଉଣୀ ଓ ସମ୍ପର୍କୀୟଙ୍କ ସହିତ ମିଶି କୁମ୍ଭୀଝରକୁ ବଣଭୋଜି କରିବାକୁ ଆସିଥିଲେ । ପରିବାର ଓ ସମ୍ପର୍କୀୟମାନେ ରନ୍ଧାବଢ଼ା ଓ ଗପସପରେ ବ୍ୟସ୍ତ ଥିବା ବେଳେ ଜ୍ୟୋତିସ୍ମାନ ମୋବାଇଲ ଧରି ଜଳ ପ୍ରପାତରେ ସେଲଫି ନେଉଥିଲେ । ଅସାବଧାନତା ଯୋଗୁଁ ଗୋଡ଼ ଖସିଯିବାରୁ ସେ ପ୍ରାପତ ମଧ୍ୟକୁ ଖସି ଯାଇଥିଲେ । ପରିବାର ଲୋକ ଓ ଅନ୍ୟମାନେ ତାଙ୍କୁ ଉଦ୍ଧାର କରି ପ୍ରଥମେ ନିକଟସ୍ଥ ଆଡେନିଗଡ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଆଣିଥିଲେ । ହେଲେ ଅବସ୍ଥା ସଂକଟାପନ୍ନ ଦେଖି ଡାକ୍ତର ତାଙ୍କୁ ମୁଖ୍ୟ ଚିକିତ୍ସାଳୟକୁ ପଠାଇ ଦେଇଥିଲା । ବୌଦ୍ଧ ଡାକ୍ତରଖାନାରେ ତାଙ୍କର ମୃତୁ୍ୟ ହୋଇଥିଲା ।