ରାଜ୍ୟରେ ପିକ ସମୟ ଅତିକ୍ରମ କରିସାରିଛି

ଭୁବନେଶ୍ୱର : ରାଜ୍ୟରେ କରୋନା ପିକ ସମୟ ଅତିକ୍ରମ କରିସାରିଛି । ସଂକ୍ରମଣ ତଳମୁହାଁ ହେବାରେ ଲାଗିଛି । ରାଜ୍ୟରେ କୋଭିଡ ସ୍ଥିତି ନେଇ ନିଜ ପ୍ରତିକ୍ରିୟା ରଖିବା ଅବସରରେ ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ଏହି ସୂଚନା ଦେଇଛନ୍ତି ।
ସେ କହିଛନ୍ତି ଯେ, ଆମ ରାଜ୍ୟରେ ବିଳମ୍ବରେ ସଂକ୍ରମଣ ବଢିଥିବାରୁ ଏବେ ଖସୁଛି । ଅନ୍ୟ ରାଜ୍ୟ ତୁଳନାରେ ଆମର ମୃତୁ୍ୟସଂଖ୍ୟା କମ । ଜୁନରେ ଖସିବା ଆରମ୍ଭ ହୋଇଛି । ଆହୁରି କମିବ ବୋଲି ଆଶା କରୁଛୁ । ସବୁ ହସ୍ପିଟାଲରେ କୋଭିଡ ଓ ଅଣକୋଭିଡ ରୋଗୀଙ୍କ ପାଇଁ ଅଲଗା ୱାର୍ଡ ହେବ । ରାଜ୍ୟରେ ଅଧିକ ବ୍ଲାକ ଫୋଙ୍ଗସ ରୋଗୀ ନାହାନ୍ତି । ୪୧ ଜଣଙ୍କ ରିପୋର୍ଟ ଅଛି । ଆଗକୁ କାଳେ ବଢିବ ବୋଲି ଆମେ ପ୍ରସ୍ତୁତ ରହୁଛୁ । ଏବେ ସଂକ୍ରମଣ ହାର ଖସିଛି । ତୃତୀୟ ଲହର ପାଇଁ ପ୍ରସ୍ତୁତି ଚାଲିଛି । ସ୍ୱତନ୍ତ୍ର ଟାସ୍କଫୋର୍ସ କରାଯାଉଛି । ସେମାନେ ଯାହା ରେକମେଣ୍ଡ କରିବେ ବ୍ୟବସ୍ଥା ହେବ । ଗ୍ରାମାଞ୍ଚଳକୁ କଭର ପାଇଁ ଅଧିକ ଆଣ୍ଟିଜେନ ଟେଷ୍ଟ କରାଯିବ ବୋଲି ଜନସ୍ୱାସ୍ଥ୍ୟ ନିଦେ୍ର୍ଧଶକ ନିରଞ୍ଜନ ମିଶ୍ର ସୂଚନା ଦେଇଛନ୍ତି ।
ପ୍ରକାଶ ଯେ, ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୮ ହଜାର ୩୯୯ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ପଜିଟିଭ ଆକ୍ରାନ୍ତ ୪ ହଜାର ୭୪୧ କ୍ବାରାଣ୍ଟିନ୍ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ୩୬୫୮ ସ୍ଥାନୀୟ ବାସିନ୍ଦା ପଜିଟିଭ ଚିହ୍ନଟ। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭ ଲକ୍ଷ ୮୨ ହଜାର ୧୩୧ଜଣ ବୃଦ୍ଧି ପାଇଛି। ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ଵିଟ୍ ଯୋଗେ ସୂଚନା ଦିଆଯାଇଛି।